Monday, April 27, 2026

ପଞ୍ଚାୟତିରାଜ ଦିବସରେ ନେତାଙ୍କ ଭାଷଣବାଜି, କିନ୍ତୁ ଗାଁକୁ ରାସ୍ତା ନାହିଁ , ପିଇବା ପାଣି ନାହିଁ !

//ସନ୍ତୋଷ ମହାନ୍ତି//   

ଆମ ନେତାମାନେ ଯେଉଁ ମାନଙ୍କୁ ଆମେ ଭୋଟ ଦେଇ ନିର୍ବାଚିତ କରାଇଛୁ, ସେମାନେ ସଭା, ସମିତି ଏପରିକି ନିକଟରେ ପଞ୍ଚାୟତିରାଜ ଦିବସରେ ମଧ୍ୟ ବୁକୁ ଫଟାଇ ଅନୁଗୁଳ କୁ ବିକଶିତ କରିବାକୁ ଚିତ୍କାର କରୁଥିବା ବେଳେ, ଜିଲ୍ଲାରେ ଥିବା ୨୨୫ ପଞ୍ଚାୟତ ମଧ୍ୟରୁ ଅନେକ ପଞ୍ଚାୟତ ବିକାଶ ଠାରୁ ବହୁ ଦୂରରେ ରହିଛି ।     

ପାଲଲହଡା, ଆଠମଲ୍ଲିକ, ଛେଣ୍ଡିପଦା ଓ ଅନୁଗୁଳ ବ୍ଲକ ରେ ଏମିତି ଅନେକ ପାଞ୍ଚାୟତ ରହିଛି ଯେଉଁଠି ନିତିଦିନିଆ ରାସ୍ତା ନାହିଁ । ପିଇବା ପାଇଁ ପାଣି ନାହିଁ । କରାବିରାଖୋଲ ଗାଁର ଏଠାରେ ଉଦାହରଣ ଦେବା ନିଶ୍ଚିତ ଭାବେ ପ୍ରାସଙ୍ଗିକ ହେବ। ଅନୁଗୁଳ ବ୍ଲକ ବଡକନ୍ତକୁଳ ପଞ୍ଚାୟତରେ ଏହି ଗାଁ ରହିଛି ।  ସେମାନେ ଅନୁଗୁଳ ଜିଲ୍ଲାର ବାସିନ୍ଦା ହୋଇଥିଲେ ମଧ୍ୟ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରେ ତାଙ୍କର ସବୁ କାମ ।ପିଲାମାନେ ପାଠ ପଢିବା ପାଇଁ  ହିନ୍ଦୋଳ ରେ ଥିବା ସ୍କୁଲ ଭରସା ।

ନନ୍ଦପୁର ପଞ୍ଚାୟତର ପବଲା କଥା କୁହନ୍ତୁ, କିମ୍ବା ସାତକୋଶିଆ ଅଞ୍ଚଳରେ ଥିବା ବେତର କଥା କୁହନ୍ତୁ --ଏସବୁ ଗାଁ ଗୁଡିକ ବିକାଶ ଠାରୁ ବହୁତ ଦୂରରେ ।  କିନ୍ତୁ ବିଡମ୍ବନାର କଥା ଏହିଯେ, ଆମ ନେତାମାନେ ସଭାସମିତିରେ ବଡ ବଡ ଭାଷଣ ଦେଇ ଗାଁ ଉନ୍ନତି କଲେ ଦେଶ ଆହୁରି ଆଗକୁ ବଢିବ ବୋଲି ପ୍ରଶଂସା ସାଉଁଟିବାକୁ ଲାଗିପଡନ୍ତି।   ବେଳେ ବେଳେ ମନକୁ ଆସେ ଯେ ସେମାନେ ବୋଧହୁଏ ଭାବୁଛନ୍ତି ଯେ ଲୋକମାନେ ବୋକା, କିଛି ଜାଣିନାହାନ୍ତି କେବଳ ଭୋଟ ଦେଇ ଜାଣିଛନ୍ତି I ଇଲେକ୍ସନ ଆସିଲେ, ଭୋଟ ଖଣ୍ଡେ ମିଳିଲେ , ସବୁ ଠିକ , ତାପରେ ସେମାନଙ୍କୁ ପଚାରେ କିଏ  ପଞ୍ଚାୟତିରାଜ ଦିବସ ପରି ଆହୁରି ଅନେକ ସଭାସମିତି ରେ ଗାଁର ବିକାଶ ନା ରେ ଚିତ୍କାର କରିବା ପାଇଁ ସୁଯୋଗ ମୁଳୁଛି ଏବଂ ମିଳୁଥିବ ମଧ୍ୟ ଯେଉଁ ପର୍ଯ୍ୟନ୍ତ ଲୋକମାନେ ସେମାନଙ୍କୁ ଭୋଟ ଦେଇ ଚାଲୁଥିବେ    

ଆସନ୍ତୁ ବିକଶିତ ଅନୁଗୁଳ ର ଅନ୍ୟ ଦିଗ ବିଷୟରେ ଆଲୋଚନା କରିବା ନହେଲେ ଲେଖାଯାଇଥିବା ରିପୋର୍ଟ କୁ ନ୍ୟାୟ ଦିଆଯାଇପାରିବନି ଲୋକଙ୍କ ପାଇଁ ଏ ରିପୋର୍ଟ ଲେଖାଯାଉଛି ଓ ସେମାନଙ୍କର ସମସ୍ୟାଗୁଡ଼ିକର ସମାଧାନ ପାଇଁ ପ୍ରଶାସନ ଓ ନେତୃବୃନ୍ଦଙ୍କୁ ଜଣାଇ ଦିଆଯାଉଛି   

ଆମ ନେତାମାନେ ବିକଶିତ ଅନୁଗୁଳ କଥା କହିଚାଲିଛନ୍ତି , ଡିଣ୍ଡିମ ପିଟିଚାଲିଛନ୍ତି , କିନ୍ତୁ ଆପଣମାନେ କୁହନ୍ତୁ କିପରିଭାବରେ ଅନୁଗୁଳ ବିକଶିତ   ଖାଲି ତ କହିଦେଲେ ହେବନି , ତଥ୍ୟ ସହିତ ସବୁ କିଛି ମେଳ ଖାଇବା ମଧ୍ୟ ଉଚିତ, ଅନୁଗୁଳ କେତେ ବିକଶିତ ହୋଇଛି ବା ଆଗକୁ ବଢିଛି  

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଡନୀ, ଯକ୍ଷ୍ମା, ମ୍ୟାଲେରିଆ , ଡେଙ୍ଗୁ ଓ ପରିବେଶ ଜନିତ ଅନ୍ୟାନ୍ୟ ରୋଗ ବଢିଚାଲିଛି I  ବିଭିନ୍ନ ପଞ୍ଚାୟତରେ ଛୋଟ ଛୋଟ ପିଲାମାନେ ଅପପୁଷ୍ଟିର ଶିକାର ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି I ପ୍ରଶାସନ ଚୁପହୋଇ ବସିଛି , ଆମର ବିଧାୟକମାନେ ବି ଚୁପ  ଠିକ ସମୟରେ ଭୋଟ ହାତେଇଲେ ଗଲା , କିଏ ପଚାରୁଚି କଣ ହଉଚି କି ନ ହଉଚି ଜିଲ୍ଲା ରସାନ୍ତଳକୁ ଗଲେ ବା ବୁଡ଼ିଲେ ସେମାନଙ୍କର ଯାଏ କେତେ ଆସେ କେତେ       

ବିକଶିତ ଅନୁଗୁଳ ର ଏମିତି ବିକଳ ଚିତ୍ର ଅନେକ ରହିଛି । ଆପଣମାନେ ଖାଲି କୁହନ୍ତୁ କଉ କ୍ଷେତ୍ରରେ ଅନୁଗୁଳ ପୁରା ବିକଶିତ I ସାତକୋଶିଆ ଅଞ୍ଚଳରୁ ଆରମ୍ଭ କରି ତାଳଚେର ରେ ଥିବା ଗାଁ ଗୁଡିକରେ ପାଣିର ସମସ୍ୟା ଉତ୍କଟ --ଏସବୁ କଥା ଆମେ ଜାଣିଛନ୍ତି, କିନ୍ତୁ ନେତାମାନେ ଜାଣିନାହାନ୍ତି ବୋଧହୁଏ  ଲୋକମାନେ ଚୁଆ ପାଣି ପିଉଛନ୍ତିI କେତେ ବାଲ୍ଟି ପାଣି ପାଇଁ ମାଇଲ ମାଇଲ ବାଟ ଗଲାପରେ ଭାଗ୍ୟରେ ଥିଲେ ମିଳୁଛି  ଅନେକ ଗାଁରେ ନଳକୂଅ ଅଛି , କିନ୍ତୁ ପାଣି ବାହାରୁନି ଅଭିଯୋଗ ହେଉଛି ଯେ ଜଳସ୍ତର  ତ ନିଶ୍ଚୟ କମୁଛି, ଅନ୍ୟ କାରଣ ହେଉଛି ଯେ ଠିକ ଜାଗାରେ ନଳକୂଅ ଖୋଳାଯାଉନି 

ଜିଲ୍ଲା ହେଡ଼କ୍ଵାଟରଠାରୁ ୧୦-୧୨ କିମି ଦୁରରେ ଥିବା ଗାଁ ସାହାରାଗୁଡା ରେ ଲୋକମାନେ ପାଣି ପାଇଁ ଡହଳବିକଳ ହେଉଛନ୍ତି, କିନ୍ତୁ ପ୍ରଶାସନ ଆଦୌ ବ୍ୟସ୍ତ ନୁହେଁ   ନଳକୂଅ ଅଛି , ପାଣି ବାହାରୁନି ଅନୁଗୁଳ  ପ୍ରଶାସନ କୁ  ଦରକାର ପରିସଂଖ୍ୟାନ , ନେତା ଓ ସରପଞ୍ଚ ମାନଙ୍କୁ ମଧ୍ୟ, କେଉଁ ଗାଁରେ କେତେ ନଳକୂଅ  ଖୋଳାଗଲା, ତେଣିକି ପାଣି ବାହାରୁ କି ନାହିଁ ଅଭିଯୋଗ ହେଉଛି ଯେ ବିଭିନ୍ନ ପଞ୍ଚାୟତରେ ନଳକୂଅ ଖୋଳି ଦିଆଯାଉଛି , କିନ୍ତୁ ହ୍ୟାଣ୍ଡେଲ ବସାଯାଉନି    ଲୋକମାନଙ୍କୁ ଭୁଆଁ ବୁଲାଇବାରେ ନେତାଠୁ ଆରମ୍ଭ କରି ଅଧିକାରୀ ମାନେ ବ୍ୟସ୍ତ  ଠକି ଦେଇ ନିଜର ସ୍ୱାର୍ଥ ହାସଲ କଲେ ଗଲା  ନେତାମାନେ କିନ୍ତୁ ଭାଷଣବାଜିରେ ବ୍ୟସ୍ତ --ଅନୁଗୁଳ କୁ ବିକଶିତ କରିବାପାଇଁ , ଖାଲି ଫମ୍ପା ଆବାଜ !  

ପାଣି ମିଳୁନି, ତେଣେ ଜିଲ୍ଲାର ପବନ ବିଷ   ଏଆର କ୍ୱାଲିଟି ଇଣ୍ଡେକ୍ସ ବା ଏ କ୍ୟୁ ଆଇ ସାଙ୍ଘାତିକ ସ୍ତରରେ, ନିଶ୍ୱାସ ନେବା କଷ୍ଟ ହେଲାଣି    ବାୟୁ ପ୍ରଦୂଷଣ ଯୋଗୁଁ ରୋଗ ବୃଦ୍ଧି ହେବା ସହିତ ମାନସିକ ଅଶାନ୍ତି   ମାରାତ୍ମକ ବାୟୁ ପ୍ରଦୂଷଣ ଜନସମାଜ କୁ ବ୍ୟାଧିଗ୍ରସ୍ତ କରିବା ସହିତ ଯୁବ ସମାଜକୁ ଅକାଳ ବାର୍ଦ୍ଧକ୍ୟ ଆଡକୁ ଟାଣି ନେଉଛି      

No comments:

Post a Comment

ପଶ୍ଚିମ ବଙ୍ଗରେ ଗଣତନ୍ତ୍ର ଜିତିଲା, ନା ଆଉ କିଏ ?

//ସନ୍ତୋଷ ମହାନ୍ତି// ଭାରତର ମେନଷ୍ଟ୍ରିମ ମିଡ଼ିଆ ବା ଆପଣମାନେ ଯାହାକୁ ପ୍ରମୁଖ ଗଣମାଧ୍ୟମ କହୁଛନ୍ତି, ସେମାନଙ୍କୁ ଛାଡିଦେଲେ, ଏବେ ସାମାଜିକ ଗଣମାଧ୍ୟମରେ , ୟୁଟ୍ୟୁବ ...