Thursday, May 7, 2026

ପଶ୍ଚିମ ବଙ୍ଗରେ ଗଣତନ୍ତ୍ର ଜିତିଲା, ନା ଆଉ କିଏ ?

//ସନ୍ତୋଷ ମହାନ୍ତି//

ଭାରତର ମେନଷ୍ଟ୍ରିମ ମିଡ଼ିଆ ବା ଆପଣମାନେ ଯାହାକୁ ପ୍ରମୁଖ ଗଣମାଧ୍ୟମ କହୁଛନ୍ତି, ସେମାନଙ୍କୁ ଛାଡିଦେଲେ, ଏବେ ସାମାଜିକ ଗଣମାଧ୍ୟମରେ , ୟୁଟ୍ୟୁବ ରେ ଗୋଟିଏ ବିଷୟ ଉପରେ ଚର୍ଚ୍ଚା ଚାଲିଛି ଯେ ପଶ୍ଚିମ ବଙ୍ଗରେ ପ୍ରକୃତରେ କିଏ ଜିତିଲା। ବିଜେପି, ଇସି (ଇଲେକ୍ସନ କମିଶନ) ନା ଏସ ଆଇ ଆର (ସ୍ପେଶାଲ ଇଣ୍ଟେନସିଭ ରିଭିଜନ) ??


କେତେକ କହିପାରନ୍ତି, ବିଜେପି ସଂଖ୍ୟା ଗରିଷ୍ଠତା ଜନାଦେଶ ପାଇଲା ପରେ ଏଭଳି ଏକ ପ୍ରଶ୍ନ ମୂର୍ଖାମୀ ହୋଇପାରେ। ଟିକେ ଭାବନ୍ତୁ - ୯୦ ଲକ୍ଷ ରୁ ଅଧିକ ଲୋକଙ୍କ ନା ଭୋଟର ଲିଷ୍ଟ ରୁ କଟିଲା ପରେ ଇଲେକ୍ସନ କମିଶନ ଯେତେବେଳେ ସେମାନଙ୍କ ନା କାହିଁକି କଟିଲା ସେ ବିଷୟରେ କିଛି କହିବାକୁ ରାଜି ନାହିଁ, ସେତେବଳେ ଏକ ସାଧାରଣ ନାଗରିକ କାହିଁକି ନ ଭାବିବ ଯେ 'ଦ।ଲ ମେଁ କୁଛ କାଲା ହେ' । ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଭୋଟ ଦେବାର ଅଧିକାର ସମସ୍ତଙ୍କର ରହିଛି। ଏଥିରେ କୌଣସି ଦ୍ଵିମତ ନାହିଁ। ଇଲେକ୍ସନ କମିଶନର କାମ ହେଉଛି ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା କରିବା ଓ ସେହି ସଂସ୍ଥା ଯେଉଁ ସବୁ ପଦକ୍ଷେପ ନେଉଛି ସେଥିରେ ପାରଦର୍ଶିତା ଵା ଟ୍ରାନ୍ସପରେନ୍ସି  ରହିବା ଉଚିତ। 

ଇଲେକ୍ସନ କମିଶନ କାମରେ ପାରଦର୍ଶିତା ରହିଛି ବୋଲି ଜଣେ କାହିଁକି ଭାବିବ ଯେତେବେଳେ ୨୭ ଲକ୍ଷ ଭୋଟର ମତଦାନ କରିବାପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ମାନ୍ୟବର ସୁପ୍ରିମକୋଟ କହୁଛନ୍ତି ଯେ ବହୁତ ଡେରି ହୋଇଗଲାଣି, ଏଵେ କିଛି ହେଇପାରିବନି, ଆରଥରକୁ ଅପେକ୍ଷା କର ଭୋଟ ଦେବାପାଇଁ। ଏଥିରୁ କଣ ବୁଝାପଡୁଛି; ଯେ ସମସ୍ତେ ମିଳିମିଶି ଯେ କୌଣସି ଉପାୟରେ ଜଣ କୁ ହରାଇବାର ଅଛି। ଏବଂ ପରିଶେଷରେ ତାହାହିଁ ହେଲା। 

ଏଠାରେ ପରିସ୍କାର ଭାବରେ ଜଣାଇ ଦେବାକୁ ଚାହୁଁଛୁ ଯେ ଆମେ ନା ମମତାଙ୍କର ନା ବିଜେପିର ନା କୌଣସି ପାର୍ଟି ର ସମର୍ଥକ ନୁହଁ । ଯାହା ଅନୁଭବ କରୁଛୁ, ଦେଖୁଛୁ, ତାହା ଲେଖୁଛୁ। କିଏ ଜିତିଲା , କିଏ ହାରିଲା , ଆମ ପାଇଁ କୌଣସି ମାନେ ନାହିଁ। କିନ୍ତୁ, କେମିତି ଏବଂ କେଉଁ ଉପାୟ ଅବଲମ୍ବନ କରି କିଏ ଜିତୁଛି , ଏବଂ ଭାରତ ପରି ଏକ ମହାନ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ତାହା କେତେ ଠିକ ସେ ବିଷୟ ରେ ଆମେ ନିଶ୍ଚିତ ଭାବରେ ଜାଣିବା ର ଅଧିକାର ରହିଛି। 

ପଶ୍ଚିମ ବଙ୍ଗରେ ଯାହା ହେଲା ବା ହେଉଛି, ଏକ ସୁସ୍ଥ ଗଣତନ୍ତ୍ର ପାଇଁ କେତେ ଭଲ ବା ଭେଲ, ସେ ବିଷୟରେ ସମସ୍ତଙ୍କର ଜାଣିବାର ଅଧିକାର ରହିଛି। କାରଣ ଏମିତି ଲାଗୁଛି ଯେ ଧୀରେ ଧୀରେ ଦେଶକୁ ଏକଚ୍ଛତ୍ରବାଦ ଶାସନ ଆଡକୁ ନିଆଯାଉଛି ଏବଂ ସେମାନେ ସେଥିରେ ସଫଳ ହେଉଛନ୍ତି ବୋଲି ଜଣାପଡୁଛି। କିଏ ମାନନ୍ତୁ ବା ନ ମାନନ୍ତୁ, ଏହା ସତ ଯେ ବିଜେପି ଲୋକମାନଙ୍କ ଠାରୁ କେବଳ ଭୋଟ ଚାହୁଁନି । ଖଣ୍ଡିଏ ଭୋଟ ଠାରୁ ଆହୁରି ଅଧିକ କିଛି ଚାହୁଁଚି।  ତାହା ହେଉଛି ସମ୍ପୂର୍ଣ୍ଣ ବଶୀକରଣ । ଅନ୍ଧ ଭକ୍ତ ହୋଇ ସବୁକିଛି ମାନିନେବା ଭୋଟ ଦେଲାପରେ। ଆମେରିକା ଯେତେ ବେଇଜ୍ଜତ କଲେ କିଛି ଯା ଆସେ ନାହିଁ, ହାତକଡ଼ି ପକାଇ ଆମ ଲୋକମାନଙ୍କୁ ଚୋରମାନଙ୍କ ପରି ଭାରତକୁ ପଠେଇଲେ ମଧ୍ୟ କିଛି କହିବାର ନାହିଁ, କରୋନା ବେଳେ ଯେମିତି କୋଠା ଉପରେ ସମସ୍ତେ ଥାଳି ବଜାଇଲେ, କିଛି କହିଲେନି --ସେମିତି ସବୁ ଚାଲିବ। ବଡ ଆଶ୍ଚର୍ଯ୍ୟର କଥା ଯେ  ଆମେରିକା କହିବା ଆମେ କାହାଠାରୁ ତେଲ କିଣିବୁ। ରୁଷ ଆମର ପୁରୁଣା ବନ୍ଧୁ, କିନ୍ତୁ ଆମେରିକା କଣ୍ଟ ଦେଵ ଯେ ମାସେ ଭିତରେ ତେଲ କିଣ। ବିଶ୍ଵଗୁରୁର ଏ କି ଅବସ୍ଥା ? ଖାଲି ଡିଣ୍ଡିମ ପିଟିଲେ କଣ ଭାରତ ବିଶ୍ଵଗୁରୁ ହେଇଯିବ? ଖାଲି ଡାହା ମିଛ? ଲୋକଙ୍କୁ ଭୁଆଁ ବୁଲାଇବା କଥା ।

ଏବେ ଯେତେବେଳେ ଅଣ୍ଟିରେ ନିଆଁ ପଡିଲା ସେତେବେଳେ ମମତା ବାନାର୍ଜୀ ଙ୍କ ଇଣ୍ଡି ମେଣ୍ଟ କଥା ମନେ ପଡୁଛି। ଆଗରୁ ଏକଜୁଟ ହୋଇଥିଲେ ଏମିତି ଅବସ୍ଥା ହୋଇନଥାନ୍ତା ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତଦେଇଛନ୍ତି। ଏବେବି ସମୟ ଅଛି, ଏକଜୁଟ ହୋଇ କାମ କଲେ ଗଣତନ୍ତ୍ର, ସମ୍ବିଧାନ, ଦେଶ ବଞ୍ଚିଯିବବୋଲି ସେମାନେ ମତଦେଇଛନ୍ତି। ବିରୋଧୀ ଦଳ ନେତାମାନେ ନିକଟରେ ସମ୍ବିଧାନ ସଂଶୋଧନ ବିଲ କୁ ଏକଜୁଟ ହୋଇ ଯେମିତି ରଦ୍ଦ କଲେ, ଠିକ ସେହିପରି ପ୍ରୟାସ ଦରକାର ଭାରତର ଗଣତନ୍ତ୍ର କୁ ବଞ୍ଚାଇବାକୁ।                                                             

Sunday, May 3, 2026

ମହାନଦୀ,ବ୍ରାହ୍ମଣୀ ଥିବା ସତ୍ତ୍ୱେ ଅନୁଗୁଳ ଜିଲ୍ଲା ରେ ପାଣି ନାହିଁ କାହିଁକି??

//ସନ୍ତୋଷ ମହାନ୍ତି//

ଅନୁଗୁଳ ଜିଲ୍ଲାରେ ଓଡ଼ିଶାର ଦୁଇଟି ବଡନଦୀ, ମହାନଦୀ ଓ ବ୍ରାହ୍ମଣୀ ପ୍ରବାହିତ ହେଉଥିବା ସତ୍ତ୍ୱେ ପାଣି ପାଇଁ ହାହାକାର। ବୁଝିବା ଯେତିକି କଷ୍ଟ, ସେତିକି ସହଜ ମଧ୍ୟ।

ବୁଝିବା ପାଇଁ କଷ୍ଟ ଏଇଥି ପାଇଁ ଯେ ଦୁଇଟି ଯାକ ନଦୀରେ ତ ପାଣିର ଅଭାବ ନାହିଁ, କିନ୍ତୁ ପିଇବା ଯୋଗ୍ୟ ନୁହେଁ। ବ୍ରାହ୍ମଣୀ ନଦୀକୂଳରେ ଥିବା ଅନେକ ଗାଁ ର ଲୋକମାନେ ଅଭିଯୋଗ କରୁଛନ୍ତି ଯେ ପିଇବା ତ ଦୂରର କଥା, ନଦୀରେ ଗାଧୋଇବା ବିପଦଜନକ। ସେମାନେ ଅଭିଯୋଗ କରିଛନ୍ତି ଯେ ବ୍ରାହ୍ମଣୀ ପାଣି ସେମାନଙ୍କ ପାଇଁ ଅଭିଶାପ ପଲଟିଯାଇଛି। ଏବେ ଆପଣମାନେ ଜାଣିପାରିଲେ ବୁଝିବାପାଇଁ କାହିଁକି କଷ୍ଟ ହେଉଛି?

ଏବେ ଆସନ୍ତୁ ଜାଣିବା ସହଜ କ'ଣ। ସମସ୍ତେ ଜାଣିଛନ୍ତି ଯେ ଅନୁଗୁଳ ଜିଲ୍ଲାରେ କଳକାରଖାନା ଓ କୋଇଲା ଖଣି ରହିଛି। କାରଖାନା ଗୁଡ଼ିକରୁ ବର୍ଜ୍ୟ ବସ୍ତୁ ବ୍ରାହ୍ମଣୀ ନଦୀରେ ମିଶୁଛ ଓ ପାଣିକୁ ବିଷାକ୍ତ କରୁଛି।କୋଇଲା  ଖୋଳିବା ଦ୍ଵାରା ଭୂତଳ ଜଳ ନଷ୍ଟ ହେଉଛି, ତେଣୁ ପିଇବାକୁ ପାଣି ନାହିଁ। ବ୍ରାହ୍ମଣୀ ନଦୀ ପାଣିର ରଙ୍ଗ ବଦଳି ଯାଇଛି ପ୍ରଦୂଷଣ ଲାଗି।ଓଡ଼ିଶାର ବଡ ନଦୀ ମହାନଦୀ ପ୍ରାୟ ଶୁଖିଗଲାଣି। କଉଠୁ ପାଣି ଆସିବ କୁହନ୍ତୁ?

ସମସ୍ୟା ଆମେ ସୃଷ୍ଟି କରିଛେ; ଏହା ପ୍ରାକୃତିକ ନୁହେଁ, ମନୁଷ୍ୟକୃତ। ଅନୁଗୁଳ-ତାଳଚେର ଅଞ୍ଚଳ ରେ ଥିବା ଶିଳ୍ପଗୁଡିକ ଅଧିକ ପରିମାଣରେ ପାଣି ବ୍ୟବହାର କରି ଭୂତଳ ଜଳସ୍ରୋତ କୁ ନଷ୍ଟ କରିଦେଲେଣି । ଦେଶର ସବୁଠାରୁ ପ୍ରଦୂଷିତ ଅଞ୍ଚଳ ମଧ୍ୟରୁ ଅନୁଗୁଳ-ତାଳଚେର ଅନ୍ୟତମ।

ନଦୀ ଓ ଭୂତଳ ଜଳ ଏତେ ମାତ୍ରାରେ ପ୍ରଦୂଷିତ ଯେ ପାଣି ଥିଲେ ମଧ୍ୟ ଏହା ପିଇବା ଯୋଗ୍ୟ ନୁହେଁ। ବ୍ରାହ୍ମଣୀ ନଦୀକୁ ପ୍ରଦୂଷିତ କରୁଛି ଖଣି ଜଳ, କାରଖାନା ରୁ ବାହାରୁଥିବା ମାରାତ୍ମକ ବର୍ଜ୍ୟ ବସ୍ତୁ। ଆଲୁମିନିୟମ ପ୍ଲାଣ୍ଟରୁ ବାହାରୁଥିବା ଫ୍ଲୁରାଇଡ। ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ଫ୍ଲାଇଆଶ ପରିବେଶ କୁ ଆହୁରି ନଷ୍ଟ କରୁଛି। ସବୁ ନଷ୍ଟ--ଜଙ୍ଗଲ ନଷ୍ଟ, ମାଟି ନଷ୍ଟ, ଭୁଗର୍ଭ ପାଣି  ନଷ୍ଟ।

ଏ ଅବସ୍ଥା ପାଇଁ ଦାୟୀ କିଏ? ଉତ୍ତର, ଆମେ ନିଜେ। ଆମେ ନିଜେ କହିବାର ଅର୍ଥ ହେଉଛି ଯେ ଅନୁଗୁଳ-ତାଳଚେର ଅଞ୍ଚଳ ର ଏଭଳି ଅବସ୍ଥା ପାଇଁ ନେତା, ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ବାବୁମାନଙ୍କ ସହିତ ଜନସାଧାରଣ ମଧ୍ୟ ସାମିଲ। ଶାସନର ଅସଫଳତା, ନେତାମାନଙ୍କର ଇଚ୍ଛାଶକ୍ତିର ଘୋର ଅଭାବ, ଦୁର୍ବଳ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜଳ ପରିଚାଳନା କରୁଥିବା ସଂସ୍ଥା।

ତାହେଲେ ଏ ସମସ୍ୟାର ସମାଧାନ କିପରି କରାଯାଇପାରିବ? ଏହା ସବୁଠାରୁ ବଡ଼ ପ୍ରଶ୍ନ।

ଶିଳ୍ପାୟନ ରେ ନିୟନ୍ତ୍ରଣ, ବର୍ଷାଜଳ ସଂଗ୍ରହ, ନଦୀ ସଫା, କଠୋର ଆଇନ, କୃତ୍ରିମ ବୁଦ୍ଧିମତା ବା Artificial Intelligence ର ବ୍ୟାପକ ବ୍ୟବହାର କରି ସମାଧାନର ରାସ୍ତା ଅବିଳମ୍ବେ ବାହାର କରିବା ଉଚିତ।

ସବୁବେଳେ ମନେରଖିବା ଉଚିତ ଯେ ଅନୁଗୁଳ ର ପାଣି ସମସ୍ୟା ଅଧିକ ମାନବ ସୃଷ୍ଟ,ପ୍ରାକୃତିକ କମ୍।ସମାଧାନ ପାଇଁ ଯେତିକି ଡେରି ହେବ, ସେତିକି ଅସୁବିଧା ହେବ ଓ ପରିବେଶ ନଷ୍ଟ ହୋଇ ଆମେ ପାଣି ନପାଇ ମରିବା। ସେଦିନ ଆଉ ଅନେକ ଦୂର ନୁହେଁ।

Friday, May 1, 2026

ଅନୁଗୁଳ ଜିଲ୍ଲା ରେ ଜଙ୍ଗଲ ବଢ଼ିଛି, ସରକାରୀ ତଥ୍ୟ ଠିକ୍ ତ??

//ସନ୍ତୋଷ ମହାନ୍ତି//

ଅନୁଗୁଳ ଜିଲ୍ଲା ରେ ଜଙ୍ଗଲ ବଢୁଛି। ଯଦି ଜଙ୍ଗଲ ବଢୁଛି, ତେବେ ପରିବେଶ ଭଲ ରହିବା କଥା। କଥା ଓଲଟା ହେଉଚି; ଦିନକୁ ଦିନ ଅସହ୍ୟ ଗରମ, ବାୟୁ ପ୍ରଦୂଷଣ, ପାଣିପାଗ ଠିକ୍ ରହୁନି -- ତାହା ହେଲେ ସରକାରୀ ରିପୋର୍ଟ ଭୁଲ୍, ନଚେତ ଆଉ କିଛି ଗଡବଡ ଅଛି।

ଆମେ ସମସ୍ତେ ଜାଣିଛନ୍ତି ଯେ ଜଙ୍ଗଲ ଅଞ୍ଚଳ ବଢ଼ିଲେ ପରିବେଶ ଥଣ୍ଡା ରହେ। ଏକ ରିପୋର୍ଟ  ଅନଯାୟୀ ବିଶ୍ୱର ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ରହିଛି। ଏ ବର୍ଷ ଏଲ୍‌ ନିନୋ ପ୍ରଭାବ ଅତ୍ୟନ୍ତ ଉଗ୍ର ହେବାର ସମ୍ଭାବନା ରହିଛି ଓ ଏହା ମୌସୁମୀକୁ ପ୍ରଭାବିତ କରି ବର୍ଷା ର ପରିମାଣକୁ ବହୁତ କମ୍ କରି ମରୁଡି ପରିସ୍ଥିତି ସୃଷ୍ଟି କରିବ ବୋଲି ପରିବେଶବିତ୍ ମାନେ ଆଶଙ୍କା ପ୍ରକାଶ କଲେଣି।

ଖାଲି ଗଛ ଲଗେଇ ଦେଲେ ଯେ ପରିବେଶ ଠିକ୍ ରହିବ ସେମିତି କିଛି ଗ୍ୟାରେଣ୍ଟି ନାହିଁ। ଆକାସିଆ ପରି ଏମିତି କେତେଗୁଡ଼ିଏ ଗଛ ରହିଛି ଯାହା ଭୂତଳ ଜଳ ବଢ଼ାଇବାରେ ବ୍ୟାଘାତ ସୃଷ୍ଟି କରେ, ସେଗୁଡିକ ପରିବେଶ ପାଇଁ ଅଦୌ ଭଲ ନୁହେଁ। ଶାଗୁଆନ ଗଛ ତା ଚାରି ପାଖରେ ଅନ୍ୟ କୌଣସି ଗଛକୁ ଉଠିବାକୁ ଦିଏନାହିଁ। ଏହା ସତ୍ତ୍ୱେ ଓଡ଼ିଶା ର ଜଙ୍ଗଲ ବିଭାଗ ଶାଗୁଆନ ପ୍ଲାନଟେଶନ୍ କରିବାରେ ବ୍ୟସ୍ତ। ଜାମୁ, ନିମ୍ବ ପରି ବଡ଼ ବଡ଼ ଗଛ ପରିବେଶ ପାଇଁ ଭଲ। କିଏ ବୁଝୁଚି, ଗଛ ଲଗେଇ ଦେଲେ କାମ ଶେଷ ।

ଏହା ଜଣାଶୁଣା ଯେ ଓଡ଼ିଶାର ଅନେକ ଜଙ୍ଗଲ ପ୍ଲାଷ୍ଟିକ୍‌ ଭଳି ବର୍ଜ୍ୟବସ୍ତୁରେ ଭରପୁର ଯାହା ପରିବେଶ କୁ ଆହୁରି ନଷ୍ଟ କରୁଛି। ପ୍ଲାଷ୍ଟିକ ବାୟୋଡିଗ୍ରେଡେବଲ୍ ନୁହେଁ, ଏହା ଶହଶହ ବର୍ଷ ଧରି ସେମିତି ରହିପାରେ, ନଷ୍ଟ ନ ହୋଇ। ଜଙ୍ଗଲ ଏବେ ଅଳିଆଗଦା । ଆମେ ଲୋକମାନେ ସଚେତନ ହେଉନାହାନ୍ତି। ଖଣି ପାଇଁ ଶାଳ ଜଙ୍ଗଲ ନଷ୍ଟ ହେଉଛି, କିନ୍ତୁ ଆମର କିଛି ପ୍ରତିବାଦ, ପ୍ରତିକ୍ରିୟା ନାହିଁ କହିଲେ ଚଳେ। ଛେଣ୍ଡିପଦା ର  କୋଶଳ। ଗାଁ ଲୋକଙ୍କ ପରି ପ୍ରତିବାଦ କଲେ ମଧ୍ୟ ସରକାର ବା ପ୍ରଶାସନ ଶୁଣିବାକୁ ନାରାଜ।

ଏବେ ଆମ ସମସ୍ତଙ୍କ ଦାୟିତ୍ଵ କିପରି ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଆମେ କମ୍‌ କରିପାରିବା । ଖଣି ନା ରେ ମନ ଇଚ୍ଛା ଜଙ୍ଗଲ କାଟି ପରିବେଶ ନଷ୍ଟ କରିବାକୁ ଦେବା ଆମ ପାଇଁ କିମ୍ବା ଆଗାମୀ ବଂଶଧରଙ୍କ ପାଇଁ ଭଲ ନୁହେଁ ।
ପଇସା ଲାଗି ଶିଳ୍ପଗୋଷ୍ଠୀ ଗୁଡ଼ିକୁ ଜଙ୍ଗଲ ଟେକିଦେଇ ସରକାର କିମ୍ବା ଆମେ ଜନସାଧାରଣ କିଛି ଠିକ୍ କରୁନାହାନ୍ତି। ଜଗତ ବଞ୍ଚିଲେ ହେଲା, ନହେଲେ ସବୁ ସଫା, ଏହା ବୁଝିରଖିବା ଉଚିତ୍। ପରିସ୍ଥିତି କୁ ଦେଖି ସଚେତନ ହେବ ଜରୁରୀ ହୋଇପଡିଛି, କାରଣ ଜୀବନ କଥା । 

ପଶ୍ଚିମ ବଙ୍ଗରେ ଗଣତନ୍ତ୍ର ଜିତିଲା, ନା ଆଉ କିଏ ?

//ସନ୍ତୋଷ ମହାନ୍ତି// ଭାରତର ମେନଷ୍ଟ୍ରିମ ମିଡ଼ିଆ ବା ଆପଣମାନେ ଯାହାକୁ ପ୍ରମୁଖ ଗଣମାଧ୍ୟମ କହୁଛନ୍ତି, ସେମାନଙ୍କୁ ଛାଡିଦେଲେ, ଏବେ ସାମାଜିକ ଗଣମାଧ୍ୟମରେ , ୟୁଟ୍ୟୁବ ...