Thursday, May 7, 2026

ପଶ୍ଚିମ ବଙ୍ଗରେ ଗଣତନ୍ତ୍ର ଜିତିଲା, ନା ଆଉ କିଏ ?

//ସନ୍ତୋଷ ମହାନ୍ତି//

ଭାରତର ମେନଷ୍ଟ୍ରିମ ମିଡ଼ିଆ ବା ଆପଣମାନେ ଯାହାକୁ ପ୍ରମୁଖ ଗଣମାଧ୍ୟମ କହୁଛନ୍ତି, ସେମାନଙ୍କୁ ଛାଡିଦେଲେ, ଏବେ ସାମାଜିକ ଗଣମାଧ୍ୟମରେ , ୟୁଟ୍ୟୁବ ରେ ଗୋଟିଏ ବିଷୟ ଉପରେ ଚର୍ଚ୍ଚା ଚାଲିଛି ଯେ ପଶ୍ଚିମ ବଙ୍ଗରେ ପ୍ରକୃତରେ କିଏ ଜିତିଲା। ବିଜେପି, ଇସି (ଇଲେକ୍ସନ କମିଶନ) ନା ଏସ ଆଇ ଆର (ସ୍ପେଶାଲ ଇଣ୍ଟେନସିଭ ରିଭିଜନ) ??


କେତେକ କହିପାରନ୍ତି, ବିଜେପି ସଂଖ୍ୟା ଗରିଷ୍ଠତା ଜନାଦେଶ ପାଇଲା ପରେ ଏଭଳି ଏକ ପ୍ରଶ୍ନ ମୂର୍ଖାମୀ ହୋଇପାରେ। ଟିକେ ଭାବନ୍ତୁ - ୯୦ ଲକ୍ଷ ରୁ ଅଧିକ ଲୋକଙ୍କ ନା ଭୋଟର ଲିଷ୍ଟ ରୁ କଟିଲା ପରେ ଇଲେକ୍ସନ କମିଶନ ଯେତେବେଳେ ସେମାନଙ୍କ ନା କାହିଁକି କଟିଲା ସେ ବିଷୟରେ କିଛି କହିବାକୁ ରାଜି ନାହିଁ, ସେତେବଳେ ଏକ ସାଧାରଣ ନାଗରିକ କାହିଁକି ନ ଭାବିବ ଯେ 'ଦ।ଲ ମେଁ କୁଛ କାଲା ହେ' । ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଭୋଟ ଦେବାର ଅଧିକାର ସମସ୍ତଙ୍କର ରହିଛି। ଏଥିରେ କୌଣସି ଦ୍ଵିମତ ନାହିଁ। ଇଲେକ୍ସନ କମିଶନର କାମ ହେଉଛି ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା କରିବା ଓ ସେହି ସଂସ୍ଥା ଯେଉଁ ସବୁ ପଦକ୍ଷେପ ନେଉଛି ସେଥିରେ ପାରଦର୍ଶିତା ଵା ଟ୍ରାନ୍ସପରେନ୍ସି  ରହିବା ଉଚିତ। 

ଇଲେକ୍ସନ କମିଶନ କାମରେ ପାରଦର୍ଶିତା ରହିଛି ବୋଲି ଜଣେ କାହିଁକି ଭାବିବ ଯେତେବେଳେ ୨୭ ଲକ୍ଷ ଭୋଟର ମତଦାନ କରିବାପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ମାନ୍ୟବର ସୁପ୍ରିମକୋଟ କହୁଛନ୍ତି ଯେ ବହୁତ ଡେରି ହୋଇଗଲାଣି, ଏଵେ କିଛି ହେଇପାରିବନି, ଆରଥରକୁ ଅପେକ୍ଷା କର ଭୋଟ ଦେବାପାଇଁ। ଏଥିରୁ କଣ ବୁଝାପଡୁଛି; ଯେ ସମସ୍ତେ ମିଳିମିଶି ଯେ କୌଣସି ଉପାୟରେ ଜଣ କୁ ହରାଇବାର ଅଛି। ଏବଂ ପରିଶେଷରେ ତାହାହିଁ ହେଲା। 

ଏଠାରେ ପରିସ୍କାର ଭାବରେ ଜଣାଇ ଦେବାକୁ ଚାହୁଁଛୁ ଯେ ଆମେ ନା ମମତାଙ୍କର ନା ବିଜେପିର ନା କୌଣସି ପାର୍ଟି ର ସମର୍ଥକ ନୁହଁ । ଯାହା ଅନୁଭବ କରୁଛୁ, ଦେଖୁଛୁ, ତାହା ଲେଖୁଛୁ। କିଏ ଜିତିଲା , କିଏ ହାରିଲା , ଆମ ପାଇଁ କୌଣସି ମାନେ ନାହିଁ। କିନ୍ତୁ, କେମିତି ଏବଂ କେଉଁ ଉପାୟ ଅବଲମ୍ବନ କରି କିଏ ଜିତୁଛି , ଏବଂ ଭାରତ ପରି ଏକ ମହାନ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ତାହା କେତେ ଠିକ ସେ ବିଷୟ ରେ ଆମେ ନିଶ୍ଚିତ ଭାବରେ ଜାଣିବା ର ଅଧିକାର ରହିଛି। 

ପଶ୍ଚିମ ବଙ୍ଗରେ ଯାହା ହେଲା ବା ହେଉଛି, ଏକ ସୁସ୍ଥ ଗଣତନ୍ତ୍ର ପାଇଁ କେତେ ଭଲ ବା ଭେଲ, ସେ ବିଷୟରେ ସମସ୍ତଙ୍କର ଜାଣିବାର ଅଧିକାର ରହିଛି। କାରଣ ଏମିତି ଲାଗୁଛି ଯେ ଧୀରେ ଧୀରେ ଦେଶକୁ ଏକଚ୍ଛତ୍ରବାଦ ଶାସନ ଆଡକୁ ନିଆଯାଉଛି ଏବଂ ସେମାନେ ସେଥିରେ ସଫଳ ହେଉଛନ୍ତି ବୋଲି ଜଣାପଡୁଛି। କିଏ ମାନନ୍ତୁ ବା ନ ମାନନ୍ତୁ, ଏହା ସତ ଯେ ବିଜେପି ଲୋକମାନଙ୍କ ଠାରୁ କେବଳ ଭୋଟ ଚାହୁଁନି । ଖଣ୍ଡିଏ ଭୋଟ ଠାରୁ ଆହୁରି ଅଧିକ କିଛି ଚାହୁଁଚି।  ତାହା ହେଉଛି ସମ୍ପୂର୍ଣ୍ଣ ବଶୀକରଣ । ଅନ୍ଧ ଭକ୍ତ ହୋଇ ସବୁକିଛି ମାନିନେବା ଭୋଟ ଦେଲାପରେ। ଆମେରିକା ଯେତେ ବେଇଜ୍ଜତ କଲେ କିଛି ଯା ଆସେ ନାହିଁ, ହାତକଡ଼ି ପକାଇ ଆମ ଲୋକମାନଙ୍କୁ ଚୋରମାନଙ୍କ ପରି ଭାରତକୁ ପଠେଇଲେ ମଧ୍ୟ କିଛି କହିବାର ନାହିଁ, କରୋନା ବେଳେ ଯେମିତି କୋଠା ଉପରେ ସମସ୍ତେ ଥାଳି ବଜାଇଲେ, କିଛି କହିଲେନି --ସେମିତି ସବୁ ଚାଲିବ। ବଡ ଆଶ୍ଚର୍ଯ୍ୟର କଥା ଯେ  ଆମେରିକା କହିବା ଆମେ କାହାଠାରୁ ତେଲ କିଣିବୁ। ରୁଷ ଆମର ପୁରୁଣା ବନ୍ଧୁ, କିନ୍ତୁ ଆମେରିକା କଣ୍ଟ ଦେଵ ଯେ ମାସେ ଭିତରେ ତେଲ କିଣ। ବିଶ୍ଵଗୁରୁର ଏ କି ଅବସ୍ଥା ? ଖାଲି ଡିଣ୍ଡିମ ପିଟିଲେ କଣ ଭାରତ ବିଶ୍ଵଗୁରୁ ହେଇଯିବ? ଖାଲି ଡାହା ମିଛ? ଲୋକଙ୍କୁ ଭୁଆଁ ବୁଲାଇବା କଥା ।

ଏବେ ଯେତେବେଳେ ଅଣ୍ଟିରେ ନିଆଁ ପଡିଲା ସେତେବେଳେ ମମତା ବାନାର୍ଜୀ ଙ୍କ ଇଣ୍ଡି ମେଣ୍ଟ କଥା ମନେ ପଡୁଛି। ଆଗରୁ ଏକଜୁଟ ହୋଇଥିଲେ ଏମିତି ଅବସ୍ଥା ହୋଇନଥାନ୍ତା ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତଦେଇଛନ୍ତି। ଏବେବି ସମୟ ଅଛି, ଏକଜୁଟ ହୋଇ କାମ କଲେ ଗଣତନ୍ତ୍ର, ସମ୍ବିଧାନ, ଦେଶ ବଞ୍ଚିଯିବବୋଲି ସେମାନେ ମତଦେଇଛନ୍ତି। ବିରୋଧୀ ଦଳ ନେତାମାନେ ନିକଟରେ ସମ୍ବିଧାନ ସଂଶୋଧନ ବିଲ କୁ ଏକଜୁଟ ହୋଇ ଯେମିତି ରଦ୍ଦ କଲେ, ଠିକ ସେହିପରି ପ୍ରୟାସ ଦରକାର ଭାରତର ଗଣତନ୍ତ୍ର କୁ ବଞ୍ଚାଇବାକୁ।                                                             

Sunday, May 3, 2026

ମହାନଦୀ,ବ୍ରାହ୍ମଣୀ ଥିବା ସତ୍ତ୍ୱେ ଅନୁଗୁଳ ଜିଲ୍ଲା ରେ ପାଣି ନାହିଁ କାହିଁକି??

//ସନ୍ତୋଷ ମହାନ୍ତି//

ଅନୁଗୁଳ ଜିଲ୍ଲାରେ ଓଡ଼ିଶାର ଦୁଇଟି ବଡନଦୀ, ମହାନଦୀ ଓ ବ୍ରାହ୍ମଣୀ ପ୍ରବାହିତ ହେଉଥିବା ସତ୍ତ୍ୱେ ପାଣି ପାଇଁ ହାହାକାର। ବୁଝିବା ଯେତିକି କଷ୍ଟ, ସେତିକି ସହଜ ମଧ୍ୟ।

ବୁଝିବା ପାଇଁ କଷ୍ଟ ଏଇଥି ପାଇଁ ଯେ ଦୁଇଟି ଯାକ ନଦୀରେ ତ ପାଣିର ଅଭାବ ନାହିଁ, କିନ୍ତୁ ପିଇବା ଯୋଗ୍ୟ ନୁହେଁ। ବ୍ରାହ୍ମଣୀ ନଦୀକୂଳରେ ଥିବା ଅନେକ ଗାଁ ର ଲୋକମାନେ ଅଭିଯୋଗ କରୁଛନ୍ତି ଯେ ପିଇବା ତ ଦୂରର କଥା, ନଦୀରେ ଗାଧୋଇବା ବିପଦଜନକ। ସେମାନେ ଅଭିଯୋଗ କରିଛନ୍ତି ଯେ ବ୍ରାହ୍ମଣୀ ପାଣି ସେମାନଙ୍କ ପାଇଁ ଅଭିଶାପ ପଲଟିଯାଇଛି। ଏବେ ଆପଣମାନେ ଜାଣିପାରିଲେ ବୁଝିବାପାଇଁ କାହିଁକି କଷ୍ଟ ହେଉଛି?

ଏବେ ଆସନ୍ତୁ ଜାଣିବା ସହଜ କ'ଣ। ସମସ୍ତେ ଜାଣିଛନ୍ତି ଯେ ଅନୁଗୁଳ ଜିଲ୍ଲାରେ କଳକାରଖାନା ଓ କୋଇଲା ଖଣି ରହିଛି। କାରଖାନା ଗୁଡ଼ିକରୁ ବର୍ଜ୍ୟ ବସ୍ତୁ ବ୍ରାହ୍ମଣୀ ନଦୀରେ ମିଶୁଛ ଓ ପାଣିକୁ ବିଷାକ୍ତ କରୁଛି।କୋଇଲା  ଖୋଳିବା ଦ୍ଵାରା ଭୂତଳ ଜଳ ନଷ୍ଟ ହେଉଛି, ତେଣୁ ପିଇବାକୁ ପାଣି ନାହିଁ। ବ୍ରାହ୍ମଣୀ ନଦୀ ପାଣିର ରଙ୍ଗ ବଦଳି ଯାଇଛି ପ୍ରଦୂଷଣ ଲାଗି।ଓଡ଼ିଶାର ବଡ ନଦୀ ମହାନଦୀ ପ୍ରାୟ ଶୁଖିଗଲାଣି। କଉଠୁ ପାଣି ଆସିବ କୁହନ୍ତୁ?

ସମସ୍ୟା ଆମେ ସୃଷ୍ଟି କରିଛେ; ଏହା ପ୍ରାକୃତିକ ନୁହେଁ, ମନୁଷ୍ୟକୃତ। ଅନୁଗୁଳ-ତାଳଚେର ଅଞ୍ଚଳ ରେ ଥିବା ଶିଳ୍ପଗୁଡିକ ଅଧିକ ପରିମାଣରେ ପାଣି ବ୍ୟବହାର କରି ଭୂତଳ ଜଳସ୍ରୋତ କୁ ନଷ୍ଟ କରିଦେଲେଣି । ଦେଶର ସବୁଠାରୁ ପ୍ରଦୂଷିତ ଅଞ୍ଚଳ ମଧ୍ୟରୁ ଅନୁଗୁଳ-ତାଳଚେର ଅନ୍ୟତମ।

ନଦୀ ଓ ଭୂତଳ ଜଳ ଏତେ ମାତ୍ରାରେ ପ୍ରଦୂଷିତ ଯେ ପାଣି ଥିଲେ ମଧ୍ୟ ଏହା ପିଇବା ଯୋଗ୍ୟ ନୁହେଁ। ବ୍ରାହ୍ମଣୀ ନଦୀକୁ ପ୍ରଦୂଷିତ କରୁଛି ଖଣି ଜଳ, କାରଖାନା ରୁ ବାହାରୁଥିବା ମାରାତ୍ମକ ବର୍ଜ୍ୟ ବସ୍ତୁ। ଆଲୁମିନିୟମ ପ୍ଲାଣ୍ଟରୁ ବାହାରୁଥିବା ଫ୍ଲୁରାଇଡ। ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ଫ୍ଲାଇଆଶ ପରିବେଶ କୁ ଆହୁରି ନଷ୍ଟ କରୁଛି। ସବୁ ନଷ୍ଟ--ଜଙ୍ଗଲ ନଷ୍ଟ, ମାଟି ନଷ୍ଟ, ଭୁଗର୍ଭ ପାଣି  ନଷ୍ଟ।

ଏ ଅବସ୍ଥା ପାଇଁ ଦାୟୀ କିଏ? ଉତ୍ତର, ଆମେ ନିଜେ। ଆମେ ନିଜେ କହିବାର ଅର୍ଥ ହେଉଛି ଯେ ଅନୁଗୁଳ-ତାଳଚେର ଅଞ୍ଚଳ ର ଏଭଳି ଅବସ୍ଥା ପାଇଁ ନେତା, ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ବାବୁମାନଙ୍କ ସହିତ ଜନସାଧାରଣ ମଧ୍ୟ ସାମିଲ। ଶାସନର ଅସଫଳତା, ନେତାମାନଙ୍କର ଇଚ୍ଛାଶକ୍ତିର ଘୋର ଅଭାବ, ଦୁର୍ବଳ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜଳ ପରିଚାଳନା କରୁଥିବା ସଂସ୍ଥା।

ତାହେଲେ ଏ ସମସ୍ୟାର ସମାଧାନ କିପରି କରାଯାଇପାରିବ? ଏହା ସବୁଠାରୁ ବଡ଼ ପ୍ରଶ୍ନ।

ଶିଳ୍ପାୟନ ରେ ନିୟନ୍ତ୍ରଣ, ବର୍ଷାଜଳ ସଂଗ୍ରହ, ନଦୀ ସଫା, କଠୋର ଆଇନ, କୃତ୍ରିମ ବୁଦ୍ଧିମତା ବା Artificial Intelligence ର ବ୍ୟାପକ ବ୍ୟବହାର କରି ସମାଧାନର ରାସ୍ତା ଅବିଳମ୍ବେ ବାହାର କରିବା ଉଚିତ।

ସବୁବେଳେ ମନେରଖିବା ଉଚିତ ଯେ ଅନୁଗୁଳ ର ପାଣି ସମସ୍ୟା ଅଧିକ ମାନବ ସୃଷ୍ଟ,ପ୍ରାକୃତିକ କମ୍।ସମାଧାନ ପାଇଁ ଯେତିକି ଡେରି ହେବ, ସେତିକି ଅସୁବିଧା ହେବ ଓ ପରିବେଶ ନଷ୍ଟ ହୋଇ ଆମେ ପାଣି ନପାଇ ମରିବା। ସେଦିନ ଆଉ ଅନେକ ଦୂର ନୁହେଁ।

Friday, May 1, 2026

ଅନୁଗୁଳ ଜିଲ୍ଲା ରେ ଜଙ୍ଗଲ ବଢ଼ିଛି, ସରକାରୀ ତଥ୍ୟ ଠିକ୍ ତ??

//ସନ୍ତୋଷ ମହାନ୍ତି//

ଅନୁଗୁଳ ଜିଲ୍ଲା ରେ ଜଙ୍ଗଲ ବଢୁଛି। ଯଦି ଜଙ୍ଗଲ ବଢୁଛି, ତେବେ ପରିବେଶ ଭଲ ରହିବା କଥା। କଥା ଓଲଟା ହେଉଚି; ଦିନକୁ ଦିନ ଅସହ୍ୟ ଗରମ, ବାୟୁ ପ୍ରଦୂଷଣ, ପାଣିପାଗ ଠିକ୍ ରହୁନି -- ତାହା ହେଲେ ସରକାରୀ ରିପୋର୍ଟ ଭୁଲ୍, ନଚେତ ଆଉ କିଛି ଗଡବଡ ଅଛି।

ଆମେ ସମସ୍ତେ ଜାଣିଛନ୍ତି ଯେ ଜଙ୍ଗଲ ଅଞ୍ଚଳ ବଢ଼ିଲେ ପରିବେଶ ଥଣ୍ଡା ରହେ। ଏକ ରିପୋର୍ଟ  ଅନଯାୟୀ ବିଶ୍ୱର ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ରହିଛି। ଏ ବର୍ଷ ଏଲ୍‌ ନିନୋ ପ୍ରଭାବ ଅତ୍ୟନ୍ତ ଉଗ୍ର ହେବାର ସମ୍ଭାବନା ରହିଛି ଓ ଏହା ମୌସୁମୀକୁ ପ୍ରଭାବିତ କରି ବର୍ଷା ର ପରିମାଣକୁ ବହୁତ କମ୍ କରି ମରୁଡି ପରିସ୍ଥିତି ସୃଷ୍ଟି କରିବ ବୋଲି ପରିବେଶବିତ୍ ମାନେ ଆଶଙ୍କା ପ୍ରକାଶ କଲେଣି।

ଖାଲି ଗଛ ଲଗେଇ ଦେଲେ ଯେ ପରିବେଶ ଠିକ୍ ରହିବ ସେମିତି କିଛି ଗ୍ୟାରେଣ୍ଟି ନାହିଁ। ଆକାସିଆ ପରି ଏମିତି କେତେଗୁଡ଼ିଏ ଗଛ ରହିଛି ଯାହା ଭୂତଳ ଜଳ ବଢ଼ାଇବାରେ ବ୍ୟାଘାତ ସୃଷ୍ଟି କରେ, ସେଗୁଡିକ ପରିବେଶ ପାଇଁ ଅଦୌ ଭଲ ନୁହେଁ। ଶାଗୁଆନ ଗଛ ତା ଚାରି ପାଖରେ ଅନ୍ୟ କୌଣସି ଗଛକୁ ଉଠିବାକୁ ଦିଏନାହିଁ। ଏହା ସତ୍ତ୍ୱେ ଓଡ଼ିଶା ର ଜଙ୍ଗଲ ବିଭାଗ ଶାଗୁଆନ ପ୍ଲାନଟେଶନ୍ କରିବାରେ ବ୍ୟସ୍ତ। ଜାମୁ, ନିମ୍ବ ପରି ବଡ଼ ବଡ଼ ଗଛ ପରିବେଶ ପାଇଁ ଭଲ। କିଏ ବୁଝୁଚି, ଗଛ ଲଗେଇ ଦେଲେ କାମ ଶେଷ ।

ଏହା ଜଣାଶୁଣା ଯେ ଓଡ଼ିଶାର ଅନେକ ଜଙ୍ଗଲ ପ୍ଲାଷ୍ଟିକ୍‌ ଭଳି ବର୍ଜ୍ୟବସ୍ତୁରେ ଭରପୁର ଯାହା ପରିବେଶ କୁ ଆହୁରି ନଷ୍ଟ କରୁଛି। ପ୍ଲାଷ୍ଟିକ ବାୟୋଡିଗ୍ରେଡେବଲ୍ ନୁହେଁ, ଏହା ଶହଶହ ବର୍ଷ ଧରି ସେମିତି ରହିପାରେ, ନଷ୍ଟ ନ ହୋଇ। ଜଙ୍ଗଲ ଏବେ ଅଳିଆଗଦା । ଆମେ ଲୋକମାନେ ସଚେତନ ହେଉନାହାନ୍ତି। ଖଣି ପାଇଁ ଶାଳ ଜଙ୍ଗଲ ନଷ୍ଟ ହେଉଛି, କିନ୍ତୁ ଆମର କିଛି ପ୍ରତିବାଦ, ପ୍ରତିକ୍ରିୟା ନାହିଁ କହିଲେ ଚଳେ। ଛେଣ୍ଡିପଦା ର  କୋଶଳ। ଗାଁ ଲୋକଙ୍କ ପରି ପ୍ରତିବାଦ କଲେ ମଧ୍ୟ ସରକାର ବା ପ୍ରଶାସନ ଶୁଣିବାକୁ ନାରାଜ।

ଏବେ ଆମ ସମସ୍ତଙ୍କ ଦାୟିତ୍ଵ କିପରି ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଆମେ କମ୍‌ କରିପାରିବା । ଖଣି ନା ରେ ମନ ଇଚ୍ଛା ଜଙ୍ଗଲ କାଟି ପରିବେଶ ନଷ୍ଟ କରିବାକୁ ଦେବା ଆମ ପାଇଁ କିମ୍ବା ଆଗାମୀ ବଂଶଧରଙ୍କ ପାଇଁ ଭଲ ନୁହେଁ ।
ପଇସା ଲାଗି ଶିଳ୍ପଗୋଷ୍ଠୀ ଗୁଡ଼ିକୁ ଜଙ୍ଗଲ ଟେକିଦେଇ ସରକାର କିମ୍ବା ଆମେ ଜନସାଧାରଣ କିଛି ଠିକ୍ କରୁନାହାନ୍ତି। ଜଗତ ବଞ୍ଚିଲେ ହେଲା, ନହେଲେ ସବୁ ସଫା, ଏହା ବୁଝିରଖିବା ଉଚିତ୍। ପରିସ୍ଥିତି କୁ ଦେଖି ସଚେତନ ହେବ ଜରୁରୀ ହୋଇପଡିଛି, କାରଣ ଜୀବନ କଥା । 

Monday, April 27, 2026

ପଞ୍ଚାୟତିରାଜ ଦିବସରେ ନେତାଙ୍କ ଭାଷଣବାଜି, କିନ୍ତୁ ଗାଁକୁ ରାସ୍ତା ନାହିଁ , ପିଇବା ପାଣି ନାହିଁ !

//ସନ୍ତୋଷ ମହାନ୍ତି//   

ଆମ ନେତାମାନେ ଯେଉଁ ମାନଙ୍କୁ ଆମେ ଭୋଟ ଦେଇ ନିର୍ବାଚିତ କରାଇଛୁ, ସେମାନେ ସଭା, ସମିତି ଏପରିକି ନିକଟରେ ପଞ୍ଚାୟତିରାଜ ଦିବସରେ ମଧ୍ୟ ବୁକୁ ଫଟାଇ ଅନୁଗୁଳ କୁ ବିକଶିତ କରିବାକୁ ଚିତ୍କାର କରୁଥିବା ବେଳେ, ଜିଲ୍ଲାରେ ଥିବା ୨୨୫ ପଞ୍ଚାୟତ ମଧ୍ୟରୁ ଅନେକ ପଞ୍ଚାୟତ ବିକାଶ ଠାରୁ ବହୁ ଦୂରରେ ରହିଛି ।     

ପାଲଲହଡା, ଆଠମଲ୍ଲିକ, ଛେଣ୍ଡିପଦା ଓ ଅନୁଗୁଳ ବ୍ଲକ ରେ ଏମିତି ଅନେକ ପାଞ୍ଚାୟତ ରହିଛି ଯେଉଁଠି ନିତିଦିନିଆ ରାସ୍ତା ନାହିଁ । ପିଇବା ପାଇଁ ପାଣି ନାହିଁ । କରାବିରାଖୋଲ ଗାଁର ଏଠାରେ ଉଦାହରଣ ଦେବା ନିଶ୍ଚିତ ଭାବେ ପ୍ରାସଙ୍ଗିକ ହେବ। ଅନୁଗୁଳ ବ୍ଲକ ବଡକନ୍ତକୁଳ ପଞ୍ଚାୟତରେ ଏହି ଗାଁ ରହିଛି ।  ସେମାନେ ଅନୁଗୁଳ ଜିଲ୍ଲାର ବାସିନ୍ଦା ହୋଇଥିଲେ ମଧ୍ୟ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରେ ତାଙ୍କର ସବୁ କାମ ।ପିଲାମାନେ ପାଠ ପଢିବା ପାଇଁ  ହିନ୍ଦୋଳ ରେ ଥିବା ସ୍କୁଲ ଭରସା ।

ନନ୍ଦପୁର ପଞ୍ଚାୟତର ପବଲା କଥା କୁହନ୍ତୁ, କିମ୍ବା ସାତକୋଶିଆ ଅଞ୍ଚଳରେ ଥିବା ବେତର କଥା କୁହନ୍ତୁ --ଏସବୁ ଗାଁ ଗୁଡିକ ବିକାଶ ଠାରୁ ବହୁତ ଦୂରରେ ।  କିନ୍ତୁ ବିଡମ୍ବନାର କଥା ଏହିଯେ, ଆମ ନେତାମାନେ ସଭାସମିତିରେ ବଡ ବଡ ଭାଷଣ ଦେଇ ଗାଁ ଉନ୍ନତି କଲେ ଦେଶ ଆହୁରି ଆଗକୁ ବଢିବ ବୋଲି ପ୍ରଶଂସା ସାଉଁଟିବାକୁ ଲାଗିପଡନ୍ତି।   ବେଳେ ବେଳେ ମନକୁ ଆସେ ଯେ ସେମାନେ ବୋଧହୁଏ ଭାବୁଛନ୍ତି ଯେ ଲୋକମାନେ ବୋକା, କିଛି ଜାଣିନାହାନ୍ତି କେବଳ ଭୋଟ ଦେଇ ଜାଣିଛନ୍ତି I ଇଲେକ୍ସନ ଆସିଲେ, ଭୋଟ ଖଣ୍ଡେ ମିଳିଲେ , ସବୁ ଠିକ , ତାପରେ ସେମାନଙ୍କୁ ପଚାରେ କିଏ  ପଞ୍ଚାୟତିରାଜ ଦିବସ ପରି ଆହୁରି ଅନେକ ସଭାସମିତି ରେ ଗାଁର ବିକାଶ ନା ରେ ଚିତ୍କାର କରିବା ପାଇଁ ସୁଯୋଗ ମୁଳୁଛି ଏବଂ ମିଳୁଥିବ ମଧ୍ୟ ଯେଉଁ ପର୍ଯ୍ୟନ୍ତ ଲୋକମାନେ ସେମାନଙ୍କୁ ଭୋଟ ଦେଇ ଚାଲୁଥିବେ    

ଆସନ୍ତୁ ବିକଶିତ ଅନୁଗୁଳ ର ଅନ୍ୟ ଦିଗ ବିଷୟରେ ଆଲୋଚନା କରିବା ନହେଲେ ଲେଖାଯାଇଥିବା ରିପୋର୍ଟ କୁ ନ୍ୟାୟ ଦିଆଯାଇପାରିବନି ଲୋକଙ୍କ ପାଇଁ ଏ ରିପୋର୍ଟ ଲେଖାଯାଉଛି ଓ ସେମାନଙ୍କର ସମସ୍ୟାଗୁଡ଼ିକର ସମାଧାନ ପାଇଁ ପ୍ରଶାସନ ଓ ନେତୃବୃନ୍ଦଙ୍କୁ ଜଣାଇ ଦିଆଯାଉଛି   

ଆମ ନେତାମାନେ ବିକଶିତ ଅନୁଗୁଳ କଥା କହିଚାଲିଛନ୍ତି , ଡିଣ୍ଡିମ ପିଟିଚାଲିଛନ୍ତି , କିନ୍ତୁ ଆପଣମାନେ କୁହନ୍ତୁ କିପରିଭାବରେ ଅନୁଗୁଳ ବିକଶିତ   ଖାଲି ତ କହିଦେଲେ ହେବନି , ତଥ୍ୟ ସହିତ ସବୁ କିଛି ମେଳ ଖାଇବା ମଧ୍ୟ ଉଚିତ, ଅନୁଗୁଳ କେତେ ବିକଶିତ ହୋଇଛି ବା ଆଗକୁ ବଢିଛି  

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଡନୀ, ଯକ୍ଷ୍ମା, ମ୍ୟାଲେରିଆ , ଡେଙ୍ଗୁ ଓ ପରିବେଶ ଜନିତ ଅନ୍ୟାନ୍ୟ ରୋଗ ବଢିଚାଲିଛି I  ବିଭିନ୍ନ ପଞ୍ଚାୟତରେ ଛୋଟ ଛୋଟ ପିଲାମାନେ ଅପପୁଷ୍ଟିର ଶିକାର ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି I ପ୍ରଶାସନ ଚୁପହୋଇ ବସିଛି , ଆମର ବିଧାୟକମାନେ ବି ଚୁପ  ଠିକ ସମୟରେ ଭୋଟ ହାତେଇଲେ ଗଲା , କିଏ ପଚାରୁଚି କଣ ହଉଚି କି ନ ହଉଚି ଜିଲ୍ଲା ରସାନ୍ତଳକୁ ଗଲେ ବା ବୁଡ଼ିଲେ ସେମାନଙ୍କର ଯାଏ କେତେ ଆସେ କେତେ       

ବିକଶିତ ଅନୁଗୁଳ ର ଏମିତି ବିକଳ ଚିତ୍ର ଅନେକ ରହିଛି । ଆପଣମାନେ ଖାଲି କୁହନ୍ତୁ କଉ କ୍ଷେତ୍ରରେ ଅନୁଗୁଳ ପୁରା ବିକଶିତ I ସାତକୋଶିଆ ଅଞ୍ଚଳରୁ ଆରମ୍ଭ କରି ତାଳଚେର ରେ ଥିବା ଗାଁ ଗୁଡିକରେ ପାଣିର ସମସ୍ୟା ଉତ୍କଟ --ଏସବୁ କଥା ଆମେ ଜାଣିଛନ୍ତି, କିନ୍ତୁ ନେତାମାନେ ଜାଣିନାହାନ୍ତି ବୋଧହୁଏ  ଲୋକମାନେ ଚୁଆ ପାଣି ପିଉଛନ୍ତିI କେତେ ବାଲ୍ଟି ପାଣି ପାଇଁ ମାଇଲ ମାଇଲ ବାଟ ଗଲାପରେ ଭାଗ୍ୟରେ ଥିଲେ ମିଳୁଛି  ଅନେକ ଗାଁରେ ନଳକୂଅ ଅଛି , କିନ୍ତୁ ପାଣି ବାହାରୁନି ଅଭିଯୋଗ ହେଉଛି ଯେ ଜଳସ୍ତର  ତ ନିଶ୍ଚୟ କମୁଛି, ଅନ୍ୟ କାରଣ ହେଉଛି ଯେ ଠିକ ଜାଗାରେ ନଳକୂଅ ଖୋଳାଯାଉନି 

ଜିଲ୍ଲା ହେଡ଼କ୍ଵାଟରଠାରୁ ୧୦-୧୨ କିମି ଦୁରରେ ଥିବା ଗାଁ ସାହାରାଗୁଡା ରେ ଲୋକମାନେ ପାଣି ପାଇଁ ଡହଳବିକଳ ହେଉଛନ୍ତି, କିନ୍ତୁ ପ୍ରଶାସନ ଆଦୌ ବ୍ୟସ୍ତ ନୁହେଁ   ନଳକୂଅ ଅଛି , ପାଣି ବାହାରୁନି ଅନୁଗୁଳ  ପ୍ରଶାସନ କୁ  ଦରକାର ପରିସଂଖ୍ୟାନ , ନେତା ଓ ସରପଞ୍ଚ ମାନଙ୍କୁ ମଧ୍ୟ, କେଉଁ ଗାଁରେ କେତେ ନଳକୂଅ  ଖୋଳାଗଲା, ତେଣିକି ପାଣି ବାହାରୁ କି ନାହିଁ ଅଭିଯୋଗ ହେଉଛି ଯେ ବିଭିନ୍ନ ପଞ୍ଚାୟତରେ ନଳକୂଅ ଖୋଳି ଦିଆଯାଉଛି , କିନ୍ତୁ ହ୍ୟାଣ୍ଡେଲ ବସାଯାଉନି    ଲୋକମାନଙ୍କୁ ଭୁଆଁ ବୁଲାଇବାରେ ନେତାଠୁ ଆରମ୍ଭ କରି ଅଧିକାରୀ ମାନେ ବ୍ୟସ୍ତ  ଠକି ଦେଇ ନିଜର ସ୍ୱାର୍ଥ ହାସଲ କଲେ ଗଲା  ନେତାମାନେ କିନ୍ତୁ ଭାଷଣବାଜିରେ ବ୍ୟସ୍ତ --ଅନୁଗୁଳ କୁ ବିକଶିତ କରିବାପାଇଁ , ଖାଲି ଫମ୍ପା ଆବାଜ !  

ପାଣି ମିଳୁନି, ତେଣେ ଜିଲ୍ଲାର ପବନ ବିଷ   ଏଆର କ୍ୱାଲିଟି ଇଣ୍ଡେକ୍ସ ବା ଏ କ୍ୟୁ ଆଇ ସାଙ୍ଘାତିକ ସ୍ତରରେ, ନିଶ୍ୱାସ ନେବା କଷ୍ଟ ହେଲାଣି    ବାୟୁ ପ୍ରଦୂଷଣ ଯୋଗୁଁ ରୋଗ ବୃଦ୍ଧି ହେବା ସହିତ ମାନସିକ ଅଶାନ୍ତି   ମାରାତ୍ମକ ବାୟୁ ପ୍ରଦୂଷଣ ଜନସମାଜ କୁ ବ୍ୟାଧିଗ୍ରସ୍ତ କରିବା ସହିତ ଯୁବ ସମାଜକୁ ଅକାଳ ବାର୍ଦ୍ଧକ୍ୟ ଆଡକୁ ଟାଣି ନେଉଛି      

Saturday, April 11, 2026

ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ କିଡନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାଏଲିସିସ ସୁବିଧା ନାହିଁ

//ସନ୍ତୋଷ ମହାନ୍ତି//

ଅନୁଗୁଳ ଜିଲ୍ଲାର ପରିବେଶ ଦୂଷିତ ଯୋଗୁଁ ଭୂତଳ ଜଳସ୍ତର ବିଷାକ୍ତ,ତେଣୁ କିଡ଼ନୀ ରୋଗୀଙ୍କ ସଂଖ୍ୟା ବଢୁଛି।ଏକ ବର୍ଷ ମଧ୍ୟରେ ୩୫ରୁ ଅଧିକ କିଡ଼ନୀ ରୋଗୀଙ୍କ ମୃତ୍ୟୁ ହେଲାଣି

ଜନ୍ମ ହେଲେତ ମୃତ୍ୟୁ ସୁନିଶ୍ଚିତ। ଏବଂ ଏହା ଧୃବ ସତ୍ୟଏଥିରେ ଆତଙ୍କିତ ହେବା ଠିକ ନୁହେଁ  ତେବେ କିଡ଼ନୀ ରୋଗରେ ୩୫ ଜଣଙ୍କ ମୃତ୍ୟୁ ହୋଇଯିବା ସରକାରଙ୍କ ପାଇଁଏକ ଅଙ୍କ ହୋଇପାରେ,କିନ୍ତ ଏହା ବୁଝିବା କଥା ଯେ ପ୍ରତ୍ୟେକ ମୃତ୍ୟୁ ପଛରେ ରହିଛି ପରିବାରରଅସୀମ ଦୁଃଖ ସହିତ ଆର୍ଥିକ ସଙ୍କଟ  ଭବିଷ୍ୟତର ଅନିଶ୍ଚିତତା। 

ଅନେକ କ୍ଷେତ୍ରରେ ପରିବାରର  ଏକମାତ୍ର ରୋଜଗାର କରୁଥିବା ବ୍ୟକ୍ତି ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରୁଥିବାରୁ ପୁରା ପରିବାର ଅସୁବିଧାରେ ପଡ଼ୁଛି। ପରିବାର ରେ ଛୋଟ ଛୋଟ ପିଲା ଥିଲେ ସେମାନେ ଦୁର୍ଦ୍ଦଶାଗ୍ରସ୍ତ ହୋଇ ହତଭାଗ୍ୟ ଜୀବନଯାପନ କରିବାକୁ ବାଧ୍ୟ ହୁଅନ୍ତି। ଅନୁଗୁଳ ଜିଲ୍ଲା କିଛି ଗ୍ରାମରେ ଏକାଧିକ ମୃତ୍ୟୁ ଘଟିଥିବା ଖବର ଲୋକମାନଙ୍କ ମଧ୍ୟରେ ଭୟ  ଅସ୍ଥିରତା ସୃଷ୍ଟି କରିଛି। ଅଭିଯୋଗ ହେଉଛି ଯେ ସ୍ବାସ୍ଥ୍ୟ ବିଭାଗ ପୁରାପୁରି ସ୍ଥାଣୁ ନହେଲେ ମଧ୍ୟ ରୋଗୀଙ୍କୁ ସେବାଯୋଗାଇ ଦେବାରେ ବିଶେଷ ତତ୍ପର ନୁହନ୍ତି।

ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କିଡନୀ ରୋଗ ସମସ୍ୟା କେବଳ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ନୁହେଁଏହା ଏକ ପ୍ରଶାସନିକ  ରାଜନୈତିକ ପରୀକ୍ଷା ରୂପେ ଛିଡା ହୋଇଛି। ଜିଲ୍ଲାରେ ୩୫ ରୁ ଅଧିକ ଜଣଙ୍କ ମୃତ୍ୟୁ ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି -- MP MLA ପଞ୍ଚାୟତ ସ୍ତରର ଜନ ପ୍ରତିନିଧିମାନେ କରୁଛନ୍ତି କଣ???

MP  MLA ମାନେ କେବଳ ରାଜନୀତି ପାଇଁ ଭୋଟ ପାଇଛନ୍ତି ବୋଲି ଭାବିବା ଠିକ ନୁହଁ ତଦନ୍ତହସ୍ତକ୍ଷେପ  ନୀତି ନିର୍ମାଣ--- ଏହି ତିନିଟି ମାର୍ଗରେ ସେମାନେ ତାଙ୍କର ଭୂମିକା ପରିଚାଳନା କରିବା ଉଚିତ୍। ସେମାନଙ୍କର ଗୁରୁ ଦାୟିତ୍ଵ ହେଉଛି ଲୋକଙ୍କ ଜୀବନ  ସ୍ୱାସ୍ଥ୍ୟର ରକ୍ଷାକରିବା। ସୁସ୍ଥ ସମାଜ ରହିଲେ, ସେମାନେ ଭୋଟ ପାଇବେ, ରାଜନୀତି କରିବେ, ନହେଲେ ନାହିଁ।

ଆମ MP MLA ମାନେ ସଂସଦରେ ବିଧାନ ସଭରେ ଏହି ବିଷୟ ଉଠାଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରି କେନ୍ଦ୍ର ସରକାରଙ୍କୁ ଜାତୀୟ ମେଡିକାଲ ଟିମ ପଠାଇବାକୁ ଦାବି କରିବା ସହିତ ଜଳ  ପରିବେଶ ତଦନ୍ତ ପାଇଁ ବିଶେଷ ଅଧ୍ୟୟନ ନିମନ୍ତେ ଅନୁରୋଧ କରିବା ଉଚିତ।

ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ପ୍ରତିମାସରେ ୧୫୦ ରୁ ଅଧିକ ରୋଗୀ ଡାଏଲିସିସ ପାଇଁ ଆସୁଛନ୍ତି। ଯଦି ସି ଏଚ ସି ଗୁଡିକରେ ଡାଏଲିସିସ ସେଣ୍ଟର ସୁବିଧା ରୁହନ୍ତା ତେବେ ରୋଗୀମାନେ ଟିକେ କମ ହଇରାଣ ହୁଅନ୍ତେ। ଏଠାରେ ଏକ ଉଦାହରଣ ଦେବା ଉଚିତ ହେବ। ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବା ସି ଏଚ୍ ସି ଦେଖିବାକୁ ଚକାଚକ୍, କିନ୍ତୁ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଡାଏଲିସିସ ସେଣ୍ଟର ନାହିଁ। ବନ୍ତଳ। ସି ଏଚ ସି ଅଧୀନରେ ମହିଧରପଡା, ହମାମୀରା ଗାଁ ଗୁଡିକ ରହିଛି, ଯେଉଁ ଗାଁ ଗୁଡିକରେ କିଡନୀ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ରୋଗୀମାନଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ, ବିଶେଷ କରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ଏକ ଡାଏଲିସିସ ସେଣ୍ଟର ତୁରନ୍ତ ସ୍ଥାପନ କରି ରୋଗୀମାନଙ୍କୁ ଉପଚାର ଦେବାପାଇଁ ଆଗ୍ରହୀ ହେବା ପରିବର୍ତ୍ତେ କୌଣସି ପଦକ୍ଷେପ ନନେଇ ରୋଗୀମାନଙ୍କୁ ହନ୍ତସନ୍ତ କରିବା ତଥାକଥିତ ଡବଲ ଇଞ୍ଜିନ ସରକାର ଅମଳରେ କିପରି ସମ୍ଭବ ହେଉଛି ତାହା ବୁଝି ହେଉନାହିଁ

ଉଭୟ କେନ୍ଦ୍ର ରାଜ୍ୟରେ ଡବଲ ଇଞ୍ଜିନ ସରକାର ଶାସନରେ ଥିବାବେଳେ ଲୋକମାନଙ୍କୁ ସାଧାରଣ ସ୍ବାସ୍ଥ୍ୟ ସେବା ଯୋଗାଇଦେବ। କାହିଁକି ସମ୍ଭବ ହେଉନାହିଁ ସେ ବିଷୟରେ ବିପୁଳ ପରିମାଣର ଭୋଟ ପାଇଥିବା ବିଧାୟକ ସାଂସଦ ଉତ୍ତରଦାୟୀ ହେବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସରପଞ୍ଚ, ୱାର୍ଡ ମେମ୍ବର ମାନଙ୍କ ଦାୟିତ୍ଵ ସେମାନେ ଗ୍ରାମ ସ୍ତରରେ ଲୋକମାନଙ୍କୁ ସଚେତନ କରିବା ଦରକାର। ରୋଗର ଲକ୍ଷଣ ବିଷୟ ରେ ଲୋକଙ୍କୁ ସଚେତନ କରିବା ସବୁଠାରୁ ବଡ଼ କଥା। ଅନୁଗୁଳ ଜିଲ୍ଲା ବିଭିନ୍ନ ଗାଁ ଯଥା ମହିଧରପଡା, ହମାମିରା , ଆଠମଲ୍ଲିକ ପାଳଲହଡ଼ାର ଗାଁ ଗୁଡିକରେ ପାଣିର ନିୟମିତ ପରୀକ୍ଷା କରାଯାଇ ସମସ୍ୟାର ସମାଧାନ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଚେଷ୍ଟିତ ହେବା ଦରକାର।

ସବୁଠାରୁ ବଡ଼ ସମସ୍ୟା ହେଉଛି ସମନ୍ୱୟର ଅଭାବ। ଜିଲ୍ଲା ପ୍ରଶାସନ  ପଞ୍ଚାୟତ ମଧ୍ୟରେ ସଠିକ ସହଯୋଗ ନଥିଲେ ସବୁ ବେକାର। ଏବେଠୁ ଆମେ ସଚେତନ ହେବ। ଉଚିତ ଯେ ଅନୁଗୁଳ ଜିଲ୍ଲା ଶିଳ୍ପାୟନରେ ନିଶ୍ଚୟ ଆଗୁଆ,କିନ୍ତୁ କିଡନୀ ରୋଗ ସଙ୍କଟ ଆମକୁ ଏକ ସଙ୍କେତ ଦେଉଛି ଯେ ଯେଉଁ ଉନ୍ନତି ଲୋକଙ୍କ ଜୀବନକୁ ବିପଦରେ ପକାଏ, ତାର କୌଣସି ନାହିଁ ମୁଲ୍ୟ ନାହିଁ ସେଭଳି ପ୍ରଗତି କେହି ବି ଚାହିଁବେ ନାହିଁ।ଲୋକଙ୍କ ଜୀବନ ଠାରୁ ବଡ଼ କିଛି ନାହିଁ।  

ପଶ୍ଚିମ ବଙ୍ଗରେ ଗଣତନ୍ତ୍ର ଜିତିଲା, ନା ଆଉ କିଏ ?

//ସନ୍ତୋଷ ମହାନ୍ତି// ଭାରତର ମେନଷ୍ଟ୍ରିମ ମିଡ଼ିଆ ବା ଆପଣମାନେ ଯାହାକୁ ପ୍ରମୁଖ ଗଣମାଧ୍ୟମ କହୁଛନ୍ତି, ସେମାନଙ୍କୁ ଛାଡିଦେଲେ, ଏବେ ସାମାଜିକ ଗଣମାଧ୍ୟମରେ , ୟୁଟ୍ୟୁବ ...