Sunday, May 3, 2026

ମହାନଦୀ,ବ୍ରାହ୍ମଣୀ ଥିବା ସତ୍ତ୍ୱେ ଅନୁଗୁଳ ଜିଲ୍ଲା ରେ ପାଣି ନାହିଁ କାହିଁକି??

//ସନ୍ତୋଷ ମହାନ୍ତି//

ଅନୁଗୁଳ ଜିଲ୍ଲାରେ ଓଡ଼ିଶାର ଦୁଇଟି ବଡନଦୀ, ମହାନଦୀ ଓ ବ୍ରାହ୍ମଣୀ ପ୍ରବାହିତ ହେଉଥିବା ସତ୍ତ୍ୱେ ପାଣି ପାଇଁ ହାହାକାର। ବୁଝିବା ଯେତିକି କଷ୍ଟ, ସେତିକି ସହଜ ମଧ୍ୟ।

ବୁଝିବା ପାଇଁ କଷ୍ଟ ଏଇଥି ପାଇଁ ଯେ ଦୁଇଟି ଯାକ ନଦୀରେ ତ ପାଣିର ଅଭାବ ନାହିଁ, କିନ୍ତୁ ପିଇବା ଯୋଗ୍ୟ ନୁହେଁ। ବ୍ରାହ୍ମଣୀ ନଦୀକୂଳରେ ଥିବା ଅନେକ ଗାଁ ର ଲୋକମାନେ ଅଭିଯୋଗ କରୁଛନ୍ତି ଯେ ପିଇବା ତ ଦୂରର କଥା, ନଦୀରେ ଗାଧୋଇବା ବିପଦଜନକ। ସେମାନେ ଅଭିଯୋଗ କରିଛନ୍ତି ଯେ ବ୍ରାହ୍ମଣୀ ପାଣି ସେମାନଙ୍କ ପାଇଁ ଅଭିଶାପ ପଲଟିଯାଇଛି। ଏବେ ଆପଣମାନେ ଜାଣିପାରିଲେ ବୁଝିବାପାଇଁ କାହିଁକି କଷ୍ଟ ହେଉଛି?

ଏବେ ଆସନ୍ତୁ ଜାଣିବା ସହଜ କ'ଣ। ସମସ୍ତେ ଜାଣିଛନ୍ତି ଯେ ଅନୁଗୁଳ ଜିଲ୍ଲାରେ କଳକାରଖାନା ଓ କୋଇଲା ଖଣି ରହିଛି। କାରଖାନା ଗୁଡ଼ିକରୁ ବର୍ଜ୍ୟ ବସ୍ତୁ ବ୍ରାହ୍ମଣୀ ନଦୀରେ ମିଶୁଛ ଓ ପାଣିକୁ ବିଷାକ୍ତ କରୁଛି।କୋଇଲା  ଖୋଳିବା ଦ୍ଵାରା ଭୂତଳ ଜଳ ନଷ୍ଟ ହେଉଛି, ତେଣୁ ପିଇବାକୁ ପାଣି ନାହିଁ। ବ୍ରାହ୍ମଣୀ ନଦୀ ପାଣିର ରଙ୍ଗ ବଦଳି ଯାଇଛି ପ୍ରଦୂଷଣ ଲାଗି।ଓଡ଼ିଶାର ବଡ ନଦୀ ମହାନଦୀ ପ୍ରାୟ ଶୁଖିଗଲାଣି। କଉଠୁ ପାଣି ଆସିବ କୁହନ୍ତୁ?

ସମସ୍ୟା ଆମେ ସୃଷ୍ଟି କରିଛେ; ଏହା ପ୍ରାକୃତିକ ନୁହେଁ, ମନୁଷ୍ୟକୃତ। ଅନୁଗୁଳ-ତାଳଚେର ଅଞ୍ଚଳ ରେ ଥିବା ଶିଳ୍ପଗୁଡିକ ଅଧିକ ପରିମାଣରେ ପାଣି ବ୍ୟବହାର କରି ଭୂତଳ ଜଳସ୍ରୋତ କୁ ନଷ୍ଟ କରିଦେଲେଣି । ଦେଶର ସବୁଠାରୁ ପ୍ରଦୂଷିତ ଅଞ୍ଚଳ ମଧ୍ୟରୁ ଅନୁଗୁଳ-ତାଳଚେର ଅନ୍ୟତମ।

ନଦୀ ଓ ଭୂତଳ ଜଳ ଏତେ ମାତ୍ରାରେ ପ୍ରଦୂଷିତ ଯେ ପାଣି ଥିଲେ ମଧ୍ୟ ଏହା ପିଇବା ଯୋଗ୍ୟ ନୁହେଁ। ବ୍ରାହ୍ମଣୀ ନଦୀକୁ ପ୍ରଦୂଷିତ କରୁଛି ଖଣି ଜଳ, କାରଖାନା ରୁ ବାହାରୁଥିବା ମାରାତ୍ମକ ବର୍ଜ୍ୟ ବସ୍ତୁ। ଆଲୁମିନିୟମ ପ୍ଲାଣ୍ଟରୁ ବାହାରୁଥିବା ଫ୍ଲୁରାଇଡ। ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ଫ୍ଲାଇଆଶ ପରିବେଶ କୁ ଆହୁରି ନଷ୍ଟ କରୁଛି। ସବୁ ନଷ୍ଟ--ଜଙ୍ଗଲ ନଷ୍ଟ, ମାଟି ନଷ୍ଟ, ଭୁଗର୍ଭ ପାଣି  ନଷ୍ଟ।

ଏ ଅବସ୍ଥା ପାଇଁ ଦାୟୀ କିଏ? ଉତ୍ତର, ଆମେ ନିଜେ। ଆମେ ନିଜେ କହିବାର ଅର୍ଥ ହେଉଛି ଯେ ଅନୁଗୁଳ-ତାଳଚେର ଅଞ୍ଚଳ ର ଏଭଳି ଅବସ୍ଥା ପାଇଁ ନେତା, ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ବାବୁମାନଙ୍କ ସହିତ ଜନସାଧାରଣ ମଧ୍ୟ ସାମିଲ। ଶାସନର ଅସଫଳତା, ନେତାମାନଙ୍କର ଇଚ୍ଛାଶକ୍ତିର ଘୋର ଅଭାବ, ଦୁର୍ବଳ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜଳ ପରିଚାଳନା କରୁଥିବା ସଂସ୍ଥା।

ତାହେଲେ ଏ ସମସ୍ୟାର ସମାଧାନ କିପରି କରାଯାଇପାରିବ? ଏହା ସବୁଠାରୁ ବଡ଼ ପ୍ରଶ୍ନ।

ଶିଳ୍ପାୟନ ରେ ନିୟନ୍ତ୍ରଣ, ବର୍ଷାଜଳ ସଂଗ୍ରହ, ନଦୀ ସଫା, କଠୋର ଆଇନ, କୃତ୍ରିମ ବୁଦ୍ଧିମତା ବା Artificial Intelligence ର ବ୍ୟାପକ ବ୍ୟବହାର କରି ସମାଧାନର ରାସ୍ତା ଅବିଳମ୍ବେ ବାହାର କରିବା ଉଚିତ।

ସବୁବେଳେ ମନେରଖିବା ଉଚିତ ଯେ ଅନୁଗୁଳ ର ପାଣି ସମସ୍ୟା ଅଧିକ ମାନବ ସୃଷ୍ଟ,ପ୍ରାକୃତିକ କମ୍।ସମାଧାନ ପାଇଁ ଯେତିକି ଡେରି ହେବ, ସେତିକି ଅସୁବିଧା ହେବ ଓ ପରିବେଶ ନଷ୍ଟ ହୋଇ ଆମେ ପାଣି ନପାଇ ମରିବା। ସେଦିନ ଆଉ ଅନେକ ଦୂର ନୁହେଁ।

No comments:

Post a Comment

ପଶ୍ଚିମ ବଙ୍ଗରେ ଗଣତନ୍ତ୍ର ଜିତିଲା, ନା ଆଉ କିଏ ?

//ସନ୍ତୋଷ ମହାନ୍ତି// ଭାରତର ମେନଷ୍ଟ୍ରିମ ମିଡ଼ିଆ ବା ଆପଣମାନେ ଯାହାକୁ ପ୍ରମୁଖ ଗଣମାଧ୍ୟମ କହୁଛନ୍ତି, ସେମାନଙ୍କୁ ଛାଡିଦେଲେ, ଏବେ ସାମାଜିକ ଗଣମାଧ୍ୟମରେ , ୟୁଟ୍ୟୁବ ...